ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା

ETVBHARAT 2025-09-30

Views 4

ଭଦ୍ରକ: ମନ୍ତ୍ର ଧ୍ବନୀରେ କମ୍ପୁଛି ମା' ବଙ୍କ ବାସୁଳୀଙ୍କ ପୀଠ । 300 ବର୍ଷର ପୁରାତନ ଭଦ୍ରକର ଏହି ଶକ୍ତି ପୀଠରେ ଗତକାଲି ମହାସପ୍ତମୀ ପୂଜା ସମାପନ ହୋଇଥିବା ବେଳେ ଆଜି ମହାଅଷ୍ଟମୀ ପୂଜା । ଏହି ପୀଠରେ ଦେବୀଙ୍କର ପୂଜା ସହ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା। ଯାହାକି ଆଜିକୁ 68 ବର୍ଷ ଧରି ଏହି ପୀଠରେ ଚାଲି ଆସୁଛି । ମା' ବଙ୍କ ବାସୁଳୀ ପ୍ରଥମେ ଏକ ଅଶ୍ବସ୍ତ ଗଛ ମୂଳରେ ଆବିର୍ଭାବ ହୋଇଥିଲେ । କାଳକ୍ରମେ ମା'ଙ୍କର ଏକ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ଦେବୀ ପୀଠରେ ବର୍ଷ ତମାମ ମା'ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଇଥାଏ। 

ମା' ବଙ୍କ ବାସୁଳୀଙ୍କ ପୀଠରେ ଦୁର୍ଗାପୂଜା:

ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଏ। 1958 ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା । ସ୍ଵର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନ କରିବା ସହ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ । ଯାହାକି ଅନ୍ୟ ଦେବୀ ପୀଠମାନଙ୍କଠାରୁ ବେଶ ଭିନ୍ନ । ତେବେ ମା' ବଙ୍କ ବାସୁଳୀଙ୍କ ଆପର କରୁଣା ରହିଥିବା ବେଳେ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ବିଶ୍ବାସ ରହିଛି । ଚଳିତବର୍ଷ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ମନ୍ଦିର କମିଟି ଏବଂ ପ୍ରଶାସନର ମିଳିତ ସହଯୋଗରେ ସ୍ବେଚ୍ଛାସେବୀ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଏନେଇ ମନ୍ଦିର କମିଟି ସଦସ୍ୟ କହିଛନ୍ତି,"ଭାଇଚାରାର ସହର ଭଦ୍ରକରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ଏହି ପୂଜା କମିଟିରେ ସଦସ୍ୟ ରହିଛନ୍ତି । ତେବେ ଚଳିତ ବର୍ଷ ସମସ୍ତ ରୀତିନୀତି ଅନୁଯାୟୀ ବେଶ ଧୁମଧାମରେ ପାଳନ କରାଯାଉଛି ପୀଠରେ ଶାରଦୀୟ ଦୁର୍ଗାପୂଜା । ଅନ୍ୟ ପୀଠମାନଙ୍କ ପରି ଏଠାରେ ମଧ୍ୟ ରହିଛି ବଳି ପରମ୍ପରା । ହେଲେ ପଶୁ ପକ୍ଷୀଙ୍କ ନୁହେଁ ବରଂ ଦିଆଯାଏ କଖାରୁ ବଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ମାନସିକ ନେଇ ଏଠାରେ କଖାରୁ ବଳି ଦେଇଥାନ୍ତି। ତେବେ ସମସ୍ତ ବିଧି ମଧ୍ୟରେ ଏଠାରେ ମା'ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇଥିବା କହିଛନ୍ତି ପୂଜକ । ଏହି ପୁରାତନ ଶକ୍ତିପୀଠ ମା' ବଙ୍କବାସୁଳୀ ପୀଠରେ ପୀଠ ଦେବୀଙ୍କର ପୂଜା ସହ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରାର ସ୍ବତନ୍ତ୍ରତା ବେଶ ନିଆରା ।"

ଏହା ମଧ୍ୟ ପଢନ୍ତୁ...ଶ୍ରୀକ୍ଷେତ୍ରରେ ଗୋଶାଣୀ ଯାତ୍ରା; ମା' ଦୁର୍ଗାଙ୍କ ସହ ପୂଜା ପାଆନ୍ତି ବିଶାଳ ନାଗା ମୂର୍ତ୍ତି

ଏହା ମଧ୍ୟ ପଢନ୍ତୁ... ଆଜି ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡି

ଇଟିଭି ଭାରତ, ଭଦ୍ରକ

Share This Video


Download

  
Report form
RELATED VIDEOS