Congress MGNREGA Bachao Sangram ବ୍ରହ୍ମପୁର: ମନରେଗା ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସର MGNREGA ବଞ୍ଚାଅ ସଂଗ୍ରାମ । ଏନେଇ ବ୍ରହ୍ମପୁର ଠାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଦଳର ନେତୃବୃନ୍ଦ । ବ୍ରହ୍ମପୁରରେ ଦଳର ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଯୋଗ ଦେଇ ବର୍ତ୍ତମାନର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବରେ ଚାଷୀଙ୍କ ପାଇଁ କିଭଳି ମାଗଣାରେ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ଓଡ଼ିଶା କ୍ଷେତ୍ରରେ ତାହା କାର୍ଯ୍ୟକ୍ଷମ ହେଉନଥିବା ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।
କଂଗ୍ରେସ କହିଛି ଯେ, MGNREGA ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଭାବେ ପ୍ରତିବର୍ଷ କୋଟି କୋଟି ପରିବାରକୁ ରୋଜଗାର ଯୋଗାଇଛି । ଏଥିଯୋଗୁଁ ଦାଦନ କମିବା ସହିତ ଗ୍ରାମୀଣ ମଜୁରୀ ବଢ଼ିଛି । ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଛି । ଏହାର ଚାହିଦା ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା ଓ ଆଦିବାସୀଙ୍କୁ ଲାଭାନ୍ବିତ କରିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ନୂତନ VB-GRAM-G ଆଇନ ଏହି ଢାଞ୍ଚାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ । ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ 90%ରୁ 60% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦି ଦେଉଥିବା ଯୋଗୁଁ କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମ ନ ମିଳିବାର ଆଶଂକା ରହିଛି । କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...
ଜାନୁଆରୀ ୫ରୁ କଂଗ୍ରେସ ଆରମ୍ଭ କରିବ 'ମନରେଗା ବଚାଓ ଅଭିଯାନ': CWC ବୈଠକରେ ନିଷ୍ପତ୍ତି
ବଦଳିଲା MGNREGA ଯୋଜନା ନାଁ, ଗ୍ୟାରେଣ୍ଟି କାର୍ଯ୍ୟ ଦିବସ ୧୨୫ ଦିନକୁ ବୃଦ୍ଧି
ଏନେଇ କଂଗ୍ରେସ ନେତା ନିମାଇଁ ସରକାର କହିଛନ୍ତି, "ଗରିବ ଲୋକଙ୍କ ପାଇଁ ଥିବା ମନରେଗା ଯୋଜନାକୁ କେନ୍ଦ୍ର ମୋଦି ସରକାର ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ । ଗରିବ ଲୋକମାନଙ୍କ ପାଇଁ ଥିବା 100 ଦିନର କାମ ପାଇବାର ଅଧିକରା ନଷ୍ଟ କରିଦେଇଛନ୍ତି । ଫଳରେ 27 ଲକ୍ଷ ଲୋକ ପ୍ରଭାବିତ ହେବେ । ଆସନ୍ତାକାଲି ରାଜ୍ୟସ୍ତରୀୟ ସହ ବ୍ରହ୍ମପୁର ସହରର ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଉପବାସ ପାଳନ କରାଯିବ । 11 ଜାନୁଆରୀରୁ 16 ଜାନୁଆରୀ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ସମସ୍ତ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ ।"
ଇଟିଭି ଭାରତ, ବ୍ରହ୍ମପୁର