କଟକ: ଆଜି ବାରବାଟୀରେ ମୁହାଁ ମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ । 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ଦୁଇ ଟିମ୍ ମଧ୍ୟରେ ହେବ ଜୋରଦାର ଲଢେଇ । ଏଥିପାଇଁ ବାରବାଟୀ ପ୍ରସ୍ତୁତ। ସେପଟେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଫ୍ୟାନ୍ ମାନେ ନାନାଦି କୌଶଳ ଆପଣାଇଛନ୍ତି। ଟିମ୍ ଇଣ୍ଡିଆର ଜର୍ସି ପରିଧାନ କରିବାଠାରୁ ଆରମ୍ଭ କରି ଫେସ୍ ପେଣ୍ଟ କରି ପିଲାଠୁ ବୟସ୍କ ସମସ୍ତେ ମ୍ୟାଚ୍ ର ମଜା ନେବା ପାଇଁ ପ୍ରସ୍ତୁତ।
ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଦାଉନ। ଆଉ ମାତ୍ର କେଇ ଘଣ୍ଟା ପରେ ବାରବାଟୀରେ ମୁହାଁ ମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ମ୍ୟାଚ୍ ପାଇଁ ଷ୍ଟାଡିୟମର ପ୍ରସ୍ତୁତି ସମ୍ପୂର୍ଣ ଶେଷ ହୋଇଥିବା ବେଳେ ଅପରାହ୍ନ 4ଟାରେ ଗ୍ୟାଲେରୀକୁ ପ୍ରବେଶ କରିବେ ଦର୍ଶକ। ମାତ୍ର ଏବେଠାରୁ ଷ୍ଟାଡିୟମ ଆଗରେ ଦର୍ଶକଙ୍କ ଭିଡ଼ ଜମିଲାଣି। ବିଭିନ୍ମ ଖେଳାଳିଙ୍କ ଟି-ସାର୍ଟ ପିନ୍ଧି ଲାଇନ୍ ରେ ରହିଲେଣି ଦର୍ଶକ। ଗିଲ, ଅଭିଷେକ ଶର୍ମା, ବିରାଟ କୋହଲି, ରୋହିତ ଶର୍ମା ଆଦି ଖେଳାଳିଙ୍କ ଟି-ସାର୍ଟ ପିନ୍ଧି ଚିଅରଅପ୍ କରିବାକୁ ପ୍ରସ୍ତୁତ ହେଲେଣି ଦର୍ଶକ।
କିଏ ମୁହଁରେ ଭାରତ ମାନଚିତ୍ର କରୁଛି ତ ଆଉ କିଏ ହାତରେ ତ୍ରିରଙ୍ଗା ଧରି ଟିମ୍ କୁ ସପୋର୍ଟ କରିବାକୁ ଗ୍ୟାଲେରୀ ନିକଟରେ ପହଞ୍ଚି ଗଲେଣି। ଭାରତ ଏଥର ଭଲ ସ୍କୋର କରିବ। ଯଦି ପ୍ରଥମେ ବ୍ୟାଟିଂ କରିବ ତେବେ 200ରୁ ଅଧିକ ସ୍କୋର କରିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ସୂର୍ଯ୍ୟ କୁମାର ଯାଦବ ବାରବାଟୀରେ କମାଲ କରିବେ ଆଦି କେତେ କଣ ଭାବି ଆସିଛନ୍ତି ଦର୍ଶକ। ଏହାରି ଭିତରେ ଜଣେ ଦିବ୍ୟାଙ୍ଗ ଫ୍ୟାନ୍ ଙ୍କ ଉପରେ ଆମର ନଜର ପଡିଥିଲା। ଗୋଟିଏ ଗୋଡ଼ ନାହିଁ. ଅର୍ଥାତ ଗତ 2003 ମସିହାରେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ନଷ୍ଟ ହୋଇଯାଇଛି । ମାତ୍ର ଆଶା ବାଡ଼ି ଧରି ଟିମ୍ ଇଣ୍ଡିଆକୁ ଚିଅରଅପ୍ କରିବାକୁ ଆସିଛନ୍ତି ସେ। ଗୋଟିଏ ହାତରେ ଆଶା ବାଡ଼ି ଏବଂ ଅନ୍ୟ ଗୋଟିଏ ହାତରେ ନିଜ ଝିଅକୁ ଧରି ଖେଳ ଦେଖିବାଜୁ ଆସିଛନ୍ତି। ଅବଶ୍ୟ ଏହା ତାଙ୍କ ପାଇଁ ପ୍ରଥମ ଥର ନୁହେଁ। ଖେଳ ପାଇଁ ଏତେ ନିଶା ଯେ, ସେ ଟିକେଟ କିଣି ଆଜି ଖେଳ ଦେଖିବକୁ ଆସିଛନ୍ତି।
ସେହିପରି ମ୍ୟାଚ୍ ପାଇଁ ଅନେକ ବୁଲା ବ୍ୟବସାୟୀ ମଧ୍ୟ ବେଶ ଉପକୃତ ହେଉଛନ୍ତି। କିଏ ବିଭିନ୍ନ ଖେଳାଳିଙ୍କ ନାଁ ସହ ଡ୍ରେସ ଆଣିଛି ତ ଆଉ କିଏ ବୁଲି ବୁଲି ରଙ୍ଗ କରାଉଛି। ଆଉ କିଏ ତ୍ରିରଙ୍ଗା ବିକ୍ରି କରୁଛି। ତେବେ ଭାରତକୁ ସାମର୍ଥନ ପାଇଁ ସେମାନେ ବି ବେଶ ଉତ୍ସାହିତ ।
ଇଟିଭି ଭାରତ, କଟକ